ନିଅନ୍ତା କି କିଏ..!!
ଇଚ୍ଛା ହୁଏ ହଜିବାକୁ ନିଜେ ନିଜେ,
ନହେଲେ,
କିଏ ଜଣେ ନିଅନ୍ତା କି ମୋତେ
ଚୋରେଇ ଉଠେଇକି ଅପହରଣ କରି..
କେଉଁ ଏକ ଅଜଣା ସ୍ଥାନକୁ !
ନିଅନ୍ତା କି ମୋତେ
ବରଫାବୃତ ପାହାଡ଼ ତଳେ
ବହିଯାଉଥିବା ପଥୁରିଆ ଝରଣା କୂଳକୁ।
ଗଡ଼ି ଗଡ଼ି ଡୁବ ମାରି ଥରିଥାନ୍ତି
ଠକଠକ ଦାନ୍ତ ସ୍ପନ୍ଦନରେ।
ନିଅନ୍ତା କି ମୋତେ
କାଚ ଝରକା ଓ ଅଳିନ୍ଦ ଥିବା
ସମୁଦ୍ର କୂଳର କେଉଁ ଏକ
ନିଛାଟିଆ କୋଠରୀକୁ।
କେହିତ ଥାଆନ୍ତା,
ସମୁଦ୍ର ଉପରଦେଇ ଉଡ଼ିଆସି
କହୁଥାନ୍ତା ତା ପ୍ରେମର କାହାଣୀ।
ନିଅନ୍ତା କି ମୋତେ
ସବୁଜ ଗଛରେ ଭରା ଘଞ୍ଚ ଜଙ୍ଗଲକୁ।
ଭିନ୍ନ ଭିନ୍ନ ଚଢ଼େଇ’ଙ୍କ ଗୀତ,
ସେମାନଙ୍କ ମିଳିତ କୂଜନ
ଶୁଣିବାକୁ ଛାଡ଼ି ଯାଆନ୍ତା,
ଚିରହରିତ ଅରଣ୍ୟ ମଝିରେ।
ନଥାନ୍ତା ସେ ସ୍ୱରରେ ତାଗିଦ
କିମ୍ବା ବ୍ୟବସାୟୀ ଧୁନ।
ନିଅନ୍ତା କି ମୋତେ କିଏ,
ନିଶା ନିଶା ଆଶା
ଏବଂ ମାଦକର ମଧୁଶାଳା’କୁ।
ସାଙ୍ଗରେ କେତୋଟି ଶୀତୁଆ ସଞ୍ଜ;
ଖୋଲି ଦେଇ ଅଲୋଡ଼ା ଏ
ବୟସ୍କ ଙ୍କ ମୁଖା,
ହଜି ଥାନ୍ତି ମଣିଷର ହସରେ
ଦୀର୍ଘଶ୍ୱାସ ରେ
ପୁଣି ଉତ୍ତାଳ ଆନନ୍ଦରେ।
ନିଅନ୍ତା କି ମୋତେ କିଏ
ସମୁଦ୍ର ର ସେଇ ନୀଳ ଅନ୍ଧାରକୁ;
ଛୁଇଁ ଛୁଇଁ ଶାମୁକାରୁ ଖୋଜିଥାନ୍ତି ମୋତି।
କଳ୍ପନାର ଜଳପରୀ ନେଇଥାନ୍ତା ଉପସ୍ଥିତି,
ସରାଗ ର ପାପୁଲି ଛୁଆଁଇ।
ପାହାଡ଼’କୁ ଚଢୁଥିବା ବଙ୍କା ବଙ୍କା ରାସ୍ତା,
ମଝିରେ ଥିବ ଚଟିଘର
ଚା ଦୋକାନ ଓ ମହୁଲିଆ ପାହାଡ଼ି ବାସ୍ନା,
ଅବୁଝା ଭାଷାରେ କଥା କହୁଥିବା
ଅନେକ ମଣିଷଙ୍କ ଭିତରକୁ
କିଏ ନିଅନ୍ତା କି ମୋତେ
ହଠାତ୍ ଅପହରଣ କରି !!
ହୋ ହୋ ହସ ଭିତରକୁ,
ନିର୍ଦ୍ୱନ୍ଦରେ ଉତ୍ପାତ କରୁଥିବା
ସେ କିଶୋର ବୟସ ଭିତରକୁ
ନିଅନ୍ତା କି କିଏ ମୋତେ।
—-####—-
ବିଜୟ କୁମାର ଜେନା।