ଆମ ଦେଶ ଓ ଦେଶବାସୀଙ୍କ ପାଇଁ କିଛିଟା ତ ସତ କହିଦେବାକୁ ହେବ; ନଚେତ୍ ଆମେ ଆମଦେଶ ଆମ ଆତ୍ମା, ସବୁକିଛିକୁ ବିସର୍ଜନ କରିବକୁ ବାଧ୍ୟ ହେବା।
ଯେତେବେଳେ ଏମାନେ କୌଣସି ଏକ ବିଶେଷ ଧର୍ମର ସୁରକ୍ଷା ନାଆଁରେ ସତ୍ତାକୁ ଆସିଲେ, ଆମ ଧର୍ମ ସୁରକ୍ଷିତ ରହିବେ କହିଲେ, କିଛି ଲୋକ ଭାବିଲେ ହଉ, କିଛି ଗୋଟେ ପରିବର୍ତ୍ତନ ହେଉ। କିନ୍ତୁ ଏହାପରେ ଗୋରକ୍ଷକ, ଧର୍ମରକ୍ଷକ ଇତ୍ୟାଦି ନାଆଁରେ ଏମାନେ ଯେତେବେଳେ ଅନ୍ୟ ଧର୍ମର ଲୋକଙ୍କୁ ମାରିବା ପିଟିବା ଆରମ୍ଭ କରିଦେଲେ – ସେତେବେଳେ ଏସବୁ ହିଂସାକୁ ବିରୋଧ କରୁଥିବା ଲୋକଙ୍କୁ ଏମାନଙ୍କ ସମର୍ଥକ ମାନେ ବିଦ୍ରୁପ କରି ସେକ୍ୟୁଲାର କଂଗ୍ରେସି ଇତ୍ୟାଦି କହିଲେ।
କଥା ଏତିକି ପର୍ଯ୍ୟନ୍ତ ଯାଇଥିଲେ ଚଳିଥାନ୍ତା କିନ୍ତୁ, ବର୍ତ୍ତମାନ – ମିତ୍ର ତୁମେ ବି ମରୁଛ ଆମେ ବି ମରୁଛୁ – ହିନ୍ଦୁ ମରୁଛି ମୁସଲମାନ ମରୁଛି, ଏ ମରଣ ହିନ୍ଦୁ ମୁସଲମାନ ନିର୍ବିଶେଷରେ ତାର କାୟା ବିସ୍ତାର କରି ଚାଲିଛି।
ଏମିତି ସମୟରେ ବି ଯଦି ତୁମେ କିଛି କହୁନାହଁ ତ, ଜଣା ପଡ଼ୁଛି ଯେ ତୁମ ଆତ୍ମା ମରି ସାରିଛି। ଭଗବାନଙ୍କ ଅସ୍ତିତ୍ବକୁ ଯଦି ବିଶ୍ଵାସ କରୁଛନ୍ତି, ତେବେ ପଞ୍ଚତ୍ଵ ପ୍ରାପ୍ତି ପରେ ଆରପାରିରେ ଭଗବାନଙ୍କ ପାଖରେ କି ସଫେଇ ଦେବ ଯେ, ଯେତେବେଳେ ଦେଶରେ ସତ୍ତାଧାରୀ ମାନେ ଭୁଲକାମ କରୁଥିଲେ, ତୁମେ ଚୁପ୍ ରହିଥିଲେ କାହିଁକି ??
ବାସ୍ତବରେ ଦେଖିବାକୁ ଗଲେ ଆମ ପରିବାର କିମ୍ୱା ଆମ ସମାଜ ବି ଆମକୁ କେବେ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରିନାହିଁ କି ଶିଖେଇ ନାହିଁ। ବାପା କହିଲେ ଡାକ୍ତର ହେବୁ – ଆମେ ଡାକ୍ତର ହେଲେ। ଅମୁକ ମାର୍ଗରେ ଗଲେ ଶିଘ୍ର ରୋଜଗାରକ୍ଷମ ହେବୁ – ଆମେ ସେଇ ମାର୍ଗରେ ଯାଇ ରୋଜଗାରକ୍ଷମ ହେଲେ। ବାପା କହିଲେ ଏଥର ବିବାହ କରିବାକୁ ହେବ ତ ଆମେ ବାହା ହେଇଗଲେ। ଏହା ହିଁ ଆମର ଜୀବନ ଶୈଳୀ ହେଇଗଲା। ଯେତେ ଭଲ ଅନୁଷ୍ଠାନରୁ ପାଠ ପଢ଼ିଲେ କିମ୍ୱା ଯେତେ ପଢାଲେଖା ଶିକ୍ଷିତ ଲୋକଙ୍କ ମଧ୍ୟରେ ରହିଲେ ବି ଆମେ ସ୍ୱାଧୀନ ଭାବରେ ଚିନ୍ତା କରି ନିଷ୍ପତ୍ତି ନେବାକୁ ସକ୍ଷମ ହେଇ ପାରିଲୁ ନାହିଁ। ଏହା ଏ ଦେଶର ଗୋଟିଏ ବଡ଼ ସାମାଜିକ ସମସ୍ୟା ହେଇ ରହି ଯାଇଛି; ଯାହା ଆମେ ସମସ୍ତେ ଶିକ୍ଷିତ ହେଇ ବି ନିଜେ ଉତ୍ପନ୍ନ କରିଛୁ ପୁଣି ବଢ଼େଇ ଚାଲିଛୁ।
ଏଥିପାଇଁ ସ୍ବର ଉତ୍ତୋଳନ କରିବାକୁ ହେବ। ନିଜେ ନିଜ ସହ, ନିଜ ପରିବାର ସହ, ସମାଜ ସହ ବିଦ୍ରୋହ କରିବାକୁ ହେବ। ନିଜେ ନିଜକୁ ହେଉ, କି ଯେଉଁଠି ବି ଭୂଲ୍ ହେଉଛି, ସେଇଠି ହେଉ – ପ୍ରଶ୍ନ ପଚାରିବାକୁ ହେବ। ସହାସର ସହ ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠେଇବାକୁ ହେବ।
ଯଦି ମା ବାପା ବି ଭୂଲ କଥା କହୁଛନ୍ତି, ତାଙ୍କୁ ପ୍ରଶ୍ନ ପଚାର। ଅଜା ଆଈ, ଜେଜେ ଜେଜେମା, ଦାଦା ଖୁଡ଼ି, ମାମୁଁ ମାଇଁ ଯିଏ ବି ହେଉ, ଅନ୍ଧ ବିଶ୍ବାସର ବଶବର୍ତ୍ତି ହେଇ କିଛି ବି ଯୁକ୍ତି କରନ୍ତି ଯଦି ତାଙ୍କୁ ବୁଝାଅ – ଦେଶର ସରକାରଙ୍କ ଦାୟିତ୍ଵ କଣ ଓ ସେମାନେ ଆଜି କରୁଛନ୍ତି କଣ। ବୁଝାଅ – କେମିତି ଅନେକ ଦେଶର ସରକାର ବିଭିନ୍ନ ପ୍ରକାରର କଟକଣା ଜାରି କରି ତାଙ୍କ ଦେଶରେ ଏଡ଼ସ ପରି ବିଭିନ୍ନ ମହାମାରୀକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ପାରିଛନ୍ତି।
ଯଦି ସେମାନେ କୁହନ୍ତି ଭାରତର ଜନସଂଖ୍ୟା ବହୁତ ଅଧିକ, ତେବେ ତାଙ୍କୁ କୁହ – ଚିନ୍ ର ଜନସଂଖ୍ୟା ମଧ୍ଯ ଅଧିକ। ତାଙ୍କୁ କୁହ, ଜଣେ ନେତା ଯଦି ତାଙ୍କର ଗୋଟିଏ ବୟାନରେ ସମଗ୍ର ଦେଶବାସୀଙ୍କ ଦ୍ୱାରା ଥାଳି ବାଡ଼ିଆ କରେଇ ପାରନ୍ତି, ଗୋଟିଏ ନିର୍ଦ୍ଦେଶରେ ନୋଟବନ୍ଦି କରେଇ ଦେଶବାସୀଙ୍କୁ ଧାଡ଼ିରେ ଠିଆ କରେଇ ପାରନ୍ତି – ସେ ସେତିକି ଗୁରୁତ୍ଵ ଦେଇ ସମଗ୍ର ଦେଶବାସୀଙ୍କୁ ଭାଇଚାରା ସହ ଶାନ୍ତିରେ ରହିବାକୁ କାହିଁକି କହି ପାରୁନାହାଁନ୍ତି ??
ଉପଯୁକ୍ତ ଖାଦ୍ୟପେୟ ଶିକ୍ଷା ଓ ଚିକିତ୍ସାର ବ୍ୟବସ୍ଥା ଯୋଗେଇ ଦେବା ସହ ମିଳିମିଶି ଶାନ୍ତିରେ ରହିବାକୁ କୁହନ୍ତେ ଯଦି, ସବୁ ସରକାରୀ କଳ ଏହି କାମରେ ଲାଗି ଯାଆନ୍ତା।
କିନ୍ତୁ ପାଞ୍ଚ ବର୍ଷିଆ ଶାସକ ଆମର ଅଜ୍ଞତା ବିଷୟରେ ବେଶ୍ ଜାଣନ୍ତି; ଆମଦ୍ୱାରା କେବଳ ଥାଳି ପିଟେଇବେ ଦୀପ ଜଳେଇବେ ତାଳି ମାରିବାକୁ କହିବେ। କାରଣ ଧାର୍ମିକ ରାଲି, ମେଳା, ନିର୍ବାଚନ ରାଲି ଇତ୍ୟାଦି କରିବାକୁ ଲୋକ ଦରକାର, ଗହଳି ଦରକାର।
ଏମିତି ନେତୃତ୍ବକୁ ଯେଉଁମାନେ ସମର୍ଥନ କରନ୍ତି କିମ୍ୱା ସହଯୋଗ କରନ୍ତି ତାଙ୍କୁ ପ୍ରଶ୍ନ ପଚାରନ୍ତୁ। ସମ୍ପର୍କ ଖରାପ ହେଇଯିବ ବୋଲି ଭୟ ନ’କରି ପଚାରନ୍ତୁ। ଭାବନ୍ତୁ ଯେ, ସାମୟିକ ଭାବେ ସମ୍ପର୍କ ଖରାପ ହେଲେ ବି, ଏହି ଖରାପ ସମ୍ପର୍କ ଆମ ଦେଶକୁ ରକ୍ଷା କରିବା ପାଇଁ ଆବଶ୍ୟକ ପଡୁଛି।
ଦେଶରେ ଏବେ ଦରଦାମ ସାଙ୍ଘାତିକ, ଲୋକେ ଉପଯୁକ୍ତ ନ୍ୟାୟ, ଶିକ୍ଷା ବା ଚିକିତ୍ସା ପାଇବାକୁ ଅସମର୍ଥ ହେଉଛନ୍ତି। ଏତିକି ବେଳେ ହଜାର ହଜାର କୋଟି ଟଙ୍କାରେ ନୁଆ ଦରବାର ଭବନ ନିର୍ମାଣ ଚାଲିଛି। ଏହି ଟଙ୍କା ଲୋକଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଗଲେ, କେତେ ଜୀବନ ବଞ୍ଚି ଯାଆନ୍ତା। ତାହେଲେ ଏମିତି ହେଉନି କାହିଁକି ?
କାହିଁକି ନା, ଆମେ ମିଳିତ ଭାବେ ତାଙ୍କୁ ପ୍ରଶ୍ନ ପଚାରୁ ନାହାଁନ୍ତି। ଦଳେ ତାଙ୍କୁ ପ୍ରଶ୍ନ ପଚାରିଲା ବେଳକୁ, ଆଉଦଳେ ପ୍ରଶ୍ନ କର୍ତ୍ତାଙ୍କୁ ବିଦ୍ରୁପ କରି ଶାସକଦଳ ନେତାଙ୍କୁ ସୁରକ୍ଷା ଦେଉଛନ୍ତି। ଏବଂ, ଏସବୁର ପରିଣତି ଆଜି ଆମ ସମ୍ମୁଖରେ।
——–**——