ଅନେକ ଦିନରୁ ଘରୁ କୁଆଡ଼େ ନ ବାହାରି ଅବଧାନେ ଭାରି ବିରକ୍ତ ହେଉଥାନ୍ତି। କରୋନା – ଲକ୍ ଡାଉନ୍ – କ୍ୱାରେଣ୍ଟାଇନ – ମାସ୍କ – ସାମାଜିକ ଦୁରତ୍ଵ ଇତ୍ୟାଦି ଭିତରେ ଅବଧାନ କଣ, ପୁରା ପୃଥିବୀ ବିରକ୍ତିଆ। ଏମିତି ବର୍ଷେ ଖଣ୍ଡେ ଘରେ ରହି ରହି ଅବଧାନେ ଟିକେ ମୋଟେଇ ଗଲେଣି।
ବର୍ଷ ଦୁଇହଜାର ଏକୋଇଶିର ମାଘମାସିଆ ଦିନ। ନାତି ଟୋକା ଖବରକାଗଜଟିଏ ଆଣି ଅବଧାନଙ୍କୁ ଦେଖେଇଲା -“ଜେଜେ ହେଇ ଦେଖ ସେପଟେ ସରକାର ହରିଦ୍ଵାରରେ କୁମ୍ଭମେଳା ଜୋରସୋର୍ ରେ ଆୟୋଜନ କରୁଛନ୍ତି। କାଗଜରେ ବାହାରିଛି। ସମସ୍ତଙ୍କୁ ମେଳାକୁ ଆସିବାକୁ ନିମନ୍ତ୍ରଣ କରୁଛନ୍ତି। କହୁଥିଲ ପରା, କୋଉଠି ଟିକେ ସୁଯୋଗ ମିଳିଥିଲେ ତୀର୍ଥ ଯାତ୍ରାରେ ବାହାରିଥାନ୍ତ !”
ମଳୁ ଲୋଡୁଥିଲା କାକର ପାଣି, ବଇଦ କହିଲା ଦିଅ ତୋରାଣି। ଖୁସିଟାଏ ହେଇ ଅବଧାନେ ଫୋନ୍ କଲେ ଅବୋଲକରା’କୁ। ନିଷ୍ପତ୍ତି ହେଲା ଅବଧାନେ ଆଉ ଅବୋଲକରା ଆଗଥର ମାନଙ୍କ ପରି ପାଦରେ ଚାଲି ଚାଲି ହିଁ ତୀର୍ଥ ଯାତ୍ରାରେ ଯିବେ। ଶ୍ରାବଣ ମାସରେ ମାରୱାଡ଼ି କାଉଡ଼ିଆ ମାନେ ଯେମିତି କଳସ ଯାତ୍ରା କରୁଛନ୍ତି ଠିକ୍ ସେମିତି। କୁମ୍ଭମେଳାରୁ ଫେରିଲା ବେଳେ ବରଂ ରେଳ ଗାଡ଼ିରେ ଫେରିବେ।
ଶୁଭ ମୂହୁର୍ତ୍ତ ଦେଖି ଅବଧାନେ ବାହାରିଲେ। ସାଙ୍ଗରେ କାଉଡ଼ି କାନ୍ଧେଇ ଚାଲିଲା ଅବୋଲକରା। କାଉଡ଼ିରେ ଥିଲା ଚୁଡ଼ା ଗୁଡ଼ ଚାଉଳ ଘିଅ ପିଇବା ପାଣି ନାସ ଦାନ୍ତମଞ୍ଜନ ଏବଂ କମ୍ବଳ ଛତା ନୋଟା ରୋଷେଇ ବାସନ କିଛି – ତା ସହିତ ମୋବାଇଲ ଚାର୍ଜର, ପାୱାର ବ୍ୟାଙ୍କ୍, ଏ ଟି ଏମ ଇତ୍ୟାଦି ବି। ଦିନରେ ଚାଲନ୍ତି, ଖରାବେଳେ ଟିକେ ବିଶ୍ରାମ – ଚୁଡ଼ା ଗୁଡ଼ ଆହାର। କିନ୍ତୁ ଯେଉଁଠି ସଞ୍ଜ ହେଇଯାଏ, ସେଇଠି ରହିଯାଆନ୍ତି। ଅବୋଲକରା ଖେଚୁଡ଼ି ରାନ୍ଧେ ଅବଧାନେ ଗପ ଶୁଣାନ୍ତି। ଏହି ଗପ ଶୁଣିବାର ପ୍ରବଳ ଲୋଭ ହିଁ ଅବୋଲକରାକୁ ଅବଧାନଙ୍କ ପଛେ ପଛେ କାଉଡ଼ି କାନ୍ଧେଇ ଚାଲିବାକୁ ଉତ୍ସାହିତ କରିଥାଏ।
କିଛି ଦିନର ଯାତ୍ରାରେ ନର୍ମଦା ସରଜୁ ଆଦି ନଦୀ ପାର ହେଇଗଲେ। ଏମିତି ଯାଉଁ ଯାଉଁ ଗାଙ୍ଗେୟ ସମତଳ ଅଞ୍ଚଳରେ ପହଞ୍ଚିଲେ। ସେଦିନ ସଞ୍ଜ ହେଲା ବେଳକୁ ଦୁହେଁ ପହଞ୍ଚିଲେ ଗୋଟିଏ ଆମ୍ବତୋଟା ନିକଟରେ। ପାଖରେ ପୋଖରୀ। ଅବୋଲକରା ସେଇଠି ଅଟକିଲା; ତାକୁ ଫେରି ଚାହିଁ ରହିଗଲେ ଅବଧାନେ। ଅଳ୍ପ ଟିକେ ଯାଗା ପରିଷ୍କାର ପରିଚ୍ଛନ୍ନ କରି ଅବୋଲକରା କହିଲା, -“ଆପଣ ଟିକେ ଆରାମ କରୁଥାନ୍ତୁ। ଏ ପୋଖରୀ ପାଣିରେ ରୋଷେଇ ହେବ ସିନା, ପିିଇବା ପାଣି ମୁଁ ଆଣୁଛି ନିକଟରେ ଯଦି କୁଅ କି ନଳକୂଅ ଥିବ ସେଉଠୁ।”
ଅଳ୍ପ ସମୟ ମଧ୍ୟରେ ଧଇଁ ସଇଁ ହୋଇ ଦୌଡ଼ି ଦୌଡ଼ି ପଳେଇ ଆସିଲା ଅବୋଲକରା। ଅବଧାନେ ଅନୁମାନ କଲେ ନିଶ୍ଚେ ଇଏ କିଛି ଗୋଟେ ଦେଖିଛି। ସେ କିଛି ପଚାରିବା ଆଗରୁ ଅବୋଲକରା କହିଲା, -“ଅବଧାନେ ଶିଘ୍ର ଚାଲ, ଏଠୁ ପଳେଇବା। ଏଇ ଟିକେ ଦୂରରେ ଗୋଟିଏ କୁଅ ଦେଖିଲି। ପାଣି ଥିବ ବୋଲି ଭିତରକୁ ଉହୁଙ୍କି ଆନେଇଲା ବେଳକୁ, କୂଅରେ ତ ପାଣି ନାହିଁ। ଭିତରୁ ଅନେକ ଲୋକଙ୍କ ସ୍ବର ଶୁଭୁଛି। ସେମାନେ କ୍ଷୀଣ ସ୍ବରରେ କହୁଛନ୍ତି, -“ଆମ ନାଥ ପରେଶ ନାଥ – ତ୍ରାହି କର ପରେଶ ନାଥ।” ମୁଁ ଆଉ କଣ ଆଗକୁ ଯିବି, ସେଇଠୁ ଦୋଉଡ଼ିଛି। ମୋ କଛା ମାରା ହେଇ ଯାଇଛି କି କଣ !!”
ଅବଧାନେ ହସି ହସି କହିଲେ -“ହଉ ଟିକେ ଥୟ ଧର। ପିଇବା ପାଣି ବୋତଲରେ ଅଛି ଯେତିକି, ଆଜିକ ପାଇଁ ଯଥେଷ୍ଟ ହେବ। ଖାଇସାରି ଶୋଇବା ବେଳକୁ କହିବି ଏହାର ରହସ୍ୟ।
ଅବୋଲକରାକୁ ଆଉ ତର ରହିଲା ନାହିଁ। ଶିଘ୍ର ଶିଘ୍ର ସବୁ କାମ ସାରି ଦୁହେଁ ବିଶ୍ରାମ ନେବାକୁ ପ୍ରସ୍ତୁତ ହେଲେ। ଅବଧାନେ କହିଲେ, -“ପକା କମ୍ବଳ ପୋତ ଛତା, ବସ ଅବୋଲକରା ଶୁଣ କଥା।” ଛତା ତଳେ, କମ୍ବଳ ଉପରେ ଅବଧାନେ ଶୋଇଲେ, ଅବୋଲକରା ତାଙ୍କ ଗୋଡ଼ ମୋଡ଼ି ଦେବା ପାଇଁ ପାଦ ପାଖରେ ବସିଲା। ଟିକିଏ ନାସ ଶୁଙ୍ଘି, ଅବଧାନ ଗପ ଆରମ୍ଭ କଲେ।
ମଣିପାଟଣା ପାର୍ଶ୍ଵବର୍ତ୍ତୀ ଗାଆଁଟିଏ, କିଛି ସାଧାସିଧା ଲୋକଙ୍କୁ ନେଇ। ଆଳୁ ସାରୁ କନ୍ଦମୂଳ ଖମ୍ବଆଳୁ ଆଦି ଚାଷ କରି ଭଲରେ ଚଳୁଥାନ୍ତି ସେମାନେ। ଥରେ ସେ ଗାଆଁକୁ ଗୋଟିଏ ଦାଢ଼ିଆ ବାବାଜୀ ଆସିଲେ। ବାବାଜୀଙ୍କ ନାଆଁ ଥିଲା ଯୋଗୀ ପରେଶ ନାଥ।
ବାବାଜୀ ଗାଆଁକୁ ଆସିବା ଆଗରୁ ତାଙ୍କ ଶିଷ୍ୟ ଓ ଚେଲା ଚାମୁଣ୍ଡା କିଛି ଆସି ଗାଆଁରେ ବାବାଜୀ ପରେଶ ନାଥଙ୍କ ବିଷୟରେ ବିଭିନ୍ନ ପ୍ରକାରର ଖବର ପ୍ରଚାର କରିଦେଲେ। ଯେମିତି କି, “ବାବାଜୀ ଖୁବ ଚମତ୍କାରୀ ଓ ସିଦ୍ଧ ସାଧକ। ଅନେକ ଐଶରିକ ଶକ୍ତିରେ ଶକ୍ତିମାନ ବାବା ଦୀର୍ଘ ପଇଁତିରିଶ ବର୍ଷ କାଳ ହିମାଳୟରେ ତପସ୍ୟା କରିଛନ୍ତି।କେବଳ ଭିକ୍ଷା ବୃତ୍ତି କରିରେ ଜୀବିକା ନିର୍ବାହ କରୁଥିଲେ” ଇତ୍ୟାଦି। ଆହୁରି ପ୍ରଚାର କଲେ -“ସେ ଆସିଲେ ଏହି ସାଧାରଣ ଗାଆଁ ଅସାଧାରଣ ହେଇଯିବ। ଚାଳଘର ସବୁ କୋଠା ବା ମହଲ ହେଇଯିବ। ଗାଆଁ ଲୋକଙ୍କ ଦୁଃଖ କଷ୍ଟ କିଛି ରହିବ ନାହିଁ”।
ନିଜର ଏକମାତ୍ର ଝୁଲାମୁଣି ଧରି ବାବାଜୀ ଆସିଲେ। ମୁଣ୍ଡର କେଶ ଓ ଛାତିରେ ଓହଳିଥିବା ଦାଢ଼ି ସମ୍ପୂର୍ଣ୍ଣ ଧଳା। ଗେରୁଆ ପୋଷାକକୁ ଗଳାରେ ଓ କଚଟିରେ ରୁଦ୍ରାକ୍ଷ ମାଳା।
ବାବାଜୀଙ୍କ ବେଶଭୂଷା ସହ ତାଙ୍କ ପ୍ରତି ଶିଷ୍ୟ ଓ ଚେଲା ଚାମୁଣ୍ଡାଙ୍କ ଭକ୍ତି ଓ ସ୍ତୁତି ଦେଖି ଗ୍ରାମବାସୀମାନେ ମୋହିତ ହେଇଗଲେ। ଏମନ୍ତ ଜଣେ ସିଦ୍ଧ ପୁରୁଷଙ୍କ ଆବିର୍ଭାବ ଦ୍ୱାରା ଗାଆଁ ଧନ୍ୟ ହେଇଗଲା ବୋଲି ବାରମ୍ବାର ସ୍ୱୀକାର କଲେ ଗାଆଁ’ର ମୁଖିଆ ଓ କିଛି ବିଶିଷ୍ଟ ଲୋକ। ଖୁବ କମ ଦିନରେ ବାବାଜୀ ସେଇ ଗାଆଁର ହର୍ତ୍ତା କର୍ତ୍ତା ଓ ଭାଗ୍ୟ ବିଧାତା ହେଇଗଲେ। ଗାଆଁ ସାରା ଲୋକ ବାବଜୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅର୍ଥ ପାପ ଅର୍ଜିବା ହେବ ବୋଲି ଭାବୁଥିଲେ।
ଯେତେବେଳେ ଭକ୍ତିର ଥୋପ ସମଗ୍ର ଗ୍ରାମବାସୀ ଗିଳିସାରିଥିଲେ, ସେତେବେଳେ ବାବାଜୀ ଓ ତାଙ୍କ ଚେଲା ଚାମୁଣ୍ଡାମାନେ ଗାଆଁ ମଝିରେ ଛାମୁଣ୍ଡିଆ ନିର୍ମାଣ କରି ତା ତଳେ ଧୂନି ଜଳେଇ ବିଭିନ୍ନ ପ୍ରକାରର ପୁଜା ହୋମ ଯଜ୍ଞର ନାଟକ କରି ଲୋକଙ୍କୁ ଭଲଭାବରେ ବଶୀଭୂତ କରିବାରେ ସକ୍ଷମ ହେଇଗଲେ।
ଧିରେ ଧିରେ ଏସବୁ ହୋମ ଯଜ୍ଞର ନାଟକରେ ଲୋକେ ଯେତେବେଳେ ଅଭ୍ୟସ୍ତ ହେଇଗଲେ, ବାବାଜୀ ଗାଆଁର ସବୁ ଭକ୍ତଙ୍କୁ ଡାକି କହିଲେ, -“”ମାନ୍ୟବର ମିତ୍ରଗଣ, ଶୁଣି ଖୁସି ହେବେ ଯେ ଏବେ ଆପଣମାନଙ୍କ ଭାଗ୍ୟ ଖୋଲିବାକୁ ଆରମ୍ଭ କରୁଛି। ଆପଣମାନଙ୍କୁ ଦିନରେ ସେଇ ବିଶିଷ୍ଟ ଶକ୍ତି ସମ୍ପନ୍ନ ନକ୍ଷତ୍ରକୁ ଦେଖେଇବାର ଅପୂର୍ବ ମୁହୂର୍ତ୍ତ ଆଗତ ହୋଇଛି। ଏମିତି ମହାଯୋଗ ପୁରା ୭୮୦୦୦ ଅଠସ୍ତରିହଜାର ବର୍ଷରେ ଥରେ ପଡ଼େ। ଯେଉଁ ବ୍ୟକ୍ତି ମନରେ ସ୍ୱଚ୍ଛ, ଛନ୍ଦ କପଟ ରହିତ ହେଇଥିବ ଏବଂ ନିଜ ବାପାଙ୍କର ଔରସରୁ ଜନ୍ମ ହୋଇଥିବ କେବଳ ସେଇମାନଙ୍କୁ ଏ ପବିତ୍ର ନକ୍ଷତ୍ର ଦେଖାଯିବ। ଏ ନକ୍ଷତ୍ର’ର ରଶ୍ମି ଯାହା ନେତ୍ରରେ ପଡ଼ିବ, ସେ ମାତ୍ର ଦୁଇ ବିନ ପାଇଁ ଏକ ଚମତ୍କାରୀ ଶକ୍ତିର ଅଧିକାରୀ ହେଇ ପାରିବ। ସେହି ଦୁଇ ବିନ ସମୟରେ ସେ ଯେତିକି ଆଳୁ ସାରୁ କନ୍ଦମୂଳ ଓ ଖମ୍ବଆଳୁ କୁ ଛୁଇଁବେ ସେସବୁ ଗୋଟିଏ ମୁହୂର୍ତ୍ତରେ ସୁନା ରେ ରୂପାନ୍ତରିତ ହୋଇଯିବ।”
ଭକ୍ତ ତ ଭକ୍ତ। ପୁଣି ଏତିକି ଦିନରେ ବାବାଜୀଙ୍କ ପ୍ରତି ବିଶ୍ୱାସ ବି ଆସି ଯାଇଛି। ସମସ୍ତ ଗ୍ରାମବାସୀ ବାବାଜୀଙ୍କ ନିର୍ଦ୍ଦେଶରେ ତାଙ୍କ ପଛରେ ଚାଲିଲେ। ଗାଆଁ ଠାରୁ ଅନତି ଦୂରରେ ଥିଲା ଗୋଟିଏ ଶୁଖିଲା ଗଭୀର କୂଅ। ଆଗରୁ ଶିଷ୍ୟମାନଙ୍କ ଦ୍ଵାରା କୂଅ ଭିତରକୁ ଓଲ୍ହେଇବା ପାଇଁ ରଶିସିଢ଼ି’ର ବ୍ୟବସ୍ଥା କରିଥାନ୍ତି। ସମସ୍ତଙ୍କୁ କୁଅଭିତରକୁ ଓହ୍ଲେଇବାକୁ କହିଲେ। ଜଣ ଜଣ କରି ସମସ୍ତେ କୂଅ ଭିତରେ ପ୍ରବେଶ କଲେ। ଉପରୁ ଥାଇ ବାବାଜୀ କହିଲେ, -“ଏବେ ଉପରକୁ ଚାହିଁ ଆକାଶକୁ ନିରୀକ୍ଷଣ କର, ତାରା ଦେଖାଯିବ। ୟା ଭିତରେ ସେଇ ପବିତ୍ର ନକ୍ଷତ୍ରଟି ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହେବ।”
ଏମିତିରେ ଗଭୀର କୂଅ ଭିତରୁ ଥାଇ ଆକାଶକୁ ଅନାଇଲେ ଦିନରେ ବି ତାରା ଦେଖା ଯାଇଥାଏ। ଏକଥା ଆଗରୁ ସରଳ ଗ୍ରାମବାସୀମାନେ ଜାଣି ନଥିଲେ। ଦିନରେ ତାରା ଦେଖି ଖୁସିରେ ହାଉଳି ଖାଇଲେ ଏବଂ ନାଚିବାରେ ଲାଗିଲେ। “ବାବା ପରେଶ ନାଥ କି ଜୟ” – “ଆମ ନାଥ ପରେଶ ନାଥ – ତ୍ରାହି କର ପରେଶ ନାଥ..!” ଚିତ୍କାର କୁଅ ଭିତରୁ ଗୁଞ୍ଜରି ଉଠିଲା। ସେମାନଙ୍କ ଏତାଦୃଶ ଆଚରଣରେ ଆକୃଷ୍ଟ ହୋଇ ବାକି ରହିଥିବା କିଛି ଲୋକ ବି ଖପା ଖପ କୂଅ ମଧ୍ୟରେ ପ୍ରବେଶ କଲେ। ସମସ୍ତେ ମିଳିତ ଭାବେ ଚିତ୍କାର କରୁଥାନ୍ତି -“ଆମ ନାଥ, ପରେଶ ନାଥ – ତ୍ରାହି କର ପରେଶ ନାଥ..!!”
ଏପଟେ ଜନଶୂନ୍ୟ ଗାଆଁ। ଅଳ୍ପ କିଛି ଛୋଟ ଛୁଆ ଓ ବୁଢ଼ା ବୁଢ଼ିଙ୍କୁ ଛାଡ଼ି ସମସ୍ତେ କୁଅ ଭିତରେ। ଏହି ସୁଯୋଗରେ ବାବାଜୀଙ୍କ ଚେଲା ଚାମୁଣ୍ଡାମାନେ ସମସ୍ତଙ୍କ ଘର ଭିତରୁ ଯାବତୀୟ ମୂଲ୍ୟବାନ ସାମଗ୍ରୀ, ଅଳଙ୍କାର ଓ ଟଙ୍କା ପଇସା ହାତେଇଲେ – ଝୁଲାମୁଣିରେ ଭର୍ତିକଲେ, ଗଣ୍ଠିଲି ବୁଜୁଳା ବାନ୍ଧିଲେ – ବାବାଙ୍କ ଆସନ ସମେତ ସମସ୍ତେ ଗାଆଁ ଛାଡ଼ି ପାର ହେଇଗଲେ। ପଛରୁ କିଚିରି ମିଚିରି ଓ ହାଉଁ ହାଉଁ ହେଉଥାନ୍ତି ଛୁଆ କେତୋଟି ଓ ଅକର୍ମଣ୍ୟ ବୁଢ଼ାବୁଢ଼ୀ ମଣିଷ।
ଏପଟେ କୁଅ ଭିତରେ ବିନା ଖାଦ୍ୟ ପାନୀୟରେ ଆକାଶରେ ତାରା ଦେଖି ଦେଖି ଗାଆଁ ଲୋକେ ଚିତ୍କାର କରୁଥାନ୍ତି, -“ଆମ ନାଥ ପରେଶ ନାଥ – ତ୍ରାହି କର ପରେଶ ନାଥ !!”
ଅନେକ ସମୟ ପରେ କିଛି ଭକ୍ତଙ୍କ ମୁଣ୍ଡରେ ଚେତା ପଶିଲା। ବାହାରକୁ ବାହାରିବେ କେମିତି ? କେତେବେଳେ ଯେ ସମସ୍ତଙ୍କ ଅଜାଣତରେ ବାବାଙ୍କ ଶିଷ୍ୟମାନେ ରଶି ସିଢ଼ିଟିକୁ ବାହାର କରି ନେଇଛନ୍ତି !! ଧିରେ ଧିରେ କିଛି ଭକ୍ତ ବେହୋସ୍ ହେବାକୁ ଲାଗିଲେ; କିନ୍ତୁ ଶକ୍ତି ଥିବା ପର୍ଯ୍ୟନ୍ତ ଘୋଷି ହେଉଥାନ୍ତି -“ଆମ ନାଥ ପରେଶ ନାଥ – ତ୍ରାହି କର ପରେଶ ନାଥ..।”
ସେମାନଙ୍କ ଭିତରୁ କିଛି ଯୁବାଭକ୍ତ କୌଶଳକରି ଜଣକ କାନ୍ଧରେ ଜଣେ ଚଢ଼ି କୁଅ ଭିତରୁ ବାହାରିବାକୁ ସକ୍ଷମ ହେଲେ। ପାଣି ପିଇ ଟିକେ ସାଷ୍ଟାମ ହେଇ ରଶି ଯୋଗାଡ଼ କରି ଅଳ୍ପ କିଛି ଲୋକଙ୍କୁ ବାହାରକୁ ଆଣିବାକୁ ସକ୍ଷମ ହେଲେ। କିନ୍ତୁ ଅଧିକାଂଶ ଭିତରେ ହିଁ ରହିଗଲେ; ନିଶ୍ଚଳ ହେବା ପର୍ଯ୍ୟନ୍ତ ପରମ ବିଶ୍ଵାସରେ ଜପ କରୁଥିଲେ -“ଆମ ନାଥ ପରେଶ ନାଥ .. ତ୍ରାହି କର ପରେଶ ନାଥ”। ପରେଶ ନାଥ ତ ଭକ୍ତଙ୍କୁ ଦିନରେ ତାରା ଦେଖେଇ ଦେଇଛନ୍ତି। ଆଉ ଅଧିକ କଣ ତାଙ୍କୁ ଦରକାର !!
ସେଇ ଦିନରୁ ଆଜି ଯାଏଁ ସେ କୁଅ ଭିତରୁ ସେଇ ଅତୃପ୍ତ ଆତ୍ମାମାନଙ୍କ ଚିତ୍କାର ଶୁଭୁଛି। ଆଜି ବି, କେହି ଯଦି ସେ କୁଅ ଭିତରକୁ ଉହୁଙ୍କି ଦେଖିବ ଓ କାନେଇବ ଶୁଣିବ ଭିତରୁ ଆସୁଥିବା ସେହି ଶବ୍ଦ ଶୁଣି ପାରିବ। ଆଜି ତୁ ବି ସେଇ ଶବ୍ଦ ଶୁଣିଲୁ, -“ଆମ ନାଥ ପରେଶ ନାଥ – ତ୍ରାହି କର ପରେଶ ନାଥ।”
ଗପ ସରିଲା ବେଳକୁ ଅବୋଲକରା, ଅବଧାନଙ୍କ ପାଖକୁ ଲାଗି ଆସିଲାଣି ଭୟରେ। ଅବଧାନେ କହିଲେ, -“ହୁଣ୍ଡା ଟା ! କହାକୁ ଡରୁଛୁ ? ଆରେ ଯେଉଁମାନେ ନିଜ ଜୀବନ କାଳରେ ଧୂର୍ତ୍ତ ବାବାଜୀ କିମ୍ୱା ତାଙ୍କ ଚେଲା ମାନଙ୍କର କିଛି କ୍ଷତି କରି ପାରି ନାହାଁନ୍ତି, ସେମାନେ ମୃତ୍ୟୁପରେ କାହାର କଣ କରିବେ ? ଏହି ଜାତୀୟ ଅନ୍ଧଭକ୍ତ ମଣିଷମାନଙ୍କ ପାଇଁ ତ ଯୁଗେ ଯୁଗେ ଧୂର୍ତ୍ତମାନେ ତିଷ୍ଠି ରୁହନ୍ତି। ସେଦିନ ଏସବୁ ଧୂର୍ତ୍ତତା ଥିଲା, ଆଜି ବି ରହିଛି। ଶୋଇପଡ଼ ଏଥର। କାଲି ସକାଳୁ ପୁଣି ଚାଲିବାର ଅଛି।”
ଅବଧାନଙ୍କ କଥାରେ ଟିକେ ଲାଜେଇ, ଅବୋଲକରା ଆସି ଶୋଇଗଲା ତା ବିଛଣାରେ।
—-###—-
ବିଜୟ କୁମାର ଜେନା,
#bijayjena