ଧର୍ମରକ୍ଷା’ରେ ଅସୁରକ୍ଷିତ ସମାଜ

Spread the love

ଆଜିକାଲି ଦେଶର ପରିସ୍ଥିତି ଯେମିତି ହେଇଛି, ଧର୍ମ ବିଷୟରେ କୌଣସି ବକ୍ତବ୍ୟ ନ ଦେବା ଟା ହିଁ ପ୍ରକୃତ ଧର୍ମ। କିନ୍ତୁ ନେଡି’ରୁ ଗୁଡ଼ ଖସିବା ଆରମ୍ଭ ହେଇ ଗଲାଣି ଯଦି – କହୁଣୀକୁ ଛୁଇଁବା ଆଗରୁ କିଛି ତ କହିବାକୁ ହେବ।

ଆମ ପୀଢ଼ି ଗତ ତିନି ଦଶନ୍ଧି ମଧ୍ୟରେ ଅନେକ ଧାର୍ମିକ ଦଙ୍ଗା ଦେଖିଛନ୍ତି, ଭାଇଚାରା ଓ ସାଂସ୍କୃତିକ ସୌହାର୍ଦ’ର ମଧ୍ୟ ଅନେକ ଉଦାହରଣ ଦେଖିଛିନ୍ତି। କେତେକଙ୍କୁ ସମାଜରେ ମଣିଷ ମଣିଷ ଭିତରେ ଘୃଣା ହିଂସା ବିଦ୍ୱେଷ ସୃଷ୍ଟି କରିବା ପାଇଁ ପ୍ରବଳ ଚେଷ୍ଟା କରୁଥିବାର ଆମେ ଦେଖୁଛୁ, ପୁଣି ଦେଖୁଛୁ ଅନେକ ଅଛନ୍ତି ଏସବୁ ଅପଚେଷ୍ଟା ବିରୁଦ୍ଧରେ ଶକ୍ତ ଭାବରେ ଠିଆ ହେଇ ରହିଛନ୍ତି।

କିନ୍ତୁ ଯାହା ଆଗରୁ କେବେବି ଆମେ ଦେଖି ନଥିଲୁ ତାହା ହେଲା, ଆମ ନିଜର ପ୍ରିୟ ଦେବୀ ଦେବତା ମାନଙ୍କୁ ରାଜରାସ୍ତା ଉପରକୁ ଭିଡିଆଣି ତାଙ୍କ ପବିତ୍ର ନାମକୁ ଘୃଣା ହିଂସା ବିଦ୍ୱେଷର ଅସ୍ତ୍ର ଭାବରେ ବ୍ୟବହାର କରାଯିବା ପରି ଜଘନ୍ୟ କାଣ୍ଡ। କେତେଜଣ ଅନ୍ୟକୁ ଧମକ ଦେଉଛନ୍ତି କି – “ଖବରଦାର !! ତୁମ ଘର ଆଗରେ ଆମେ ହନୁମାନ ଝଣ୍ଡା ପୋତିଦେବୁ। ତୁମ ଧର୍ମାନୁଷ୍ଠାନ ସମ୍ମୁଖରେ ଆମେ ହନୁମାନ ଚାଳିଶା ପଢ଼ିଦେବୁ।” ଯେମିତି କି ତାଙ୍କ ଘର ଆଗରେ ଅଳିଆ ଅସନା ଫୋପଡ଼ିବେ କିମ୍ୱା ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବାର ଧମକ ଦେଉଛନ୍ତି।

ଆଜି ଆମର ଏ ଧର୍ମାନ୍ଧମାନେ ଯାହା କରୁଛନ୍ତି, ଦୁନିଆର କୌଣସ ସଭ୍ୟ ସମାଜ ନିଜ ଧର୍ମର ପବିତ୍ର ପ୍ରତୀକମାନଙ୍କର ଅପବ୍ୟବହାର ଶସ୍ତା ରାଜନୈତିକ ଫାଇଦା ହାସଲ ପାଇଁ କେବେ ବି କରି ନଥିବେ। ଅନ୍ୟ କୌଣସି ଧର୍ମ ଓ ସମ୍ପ୍ରଦାୟ ଆଡ଼କୁ ଲକ୍ଷ୍ୟ କରି ଧାର୍ମିକ ସ୍ଲୋଗାନ ମାଧ୍ୟମରେ ଚିତ୍କାର କରୁଥିବା ଏହି ଲୋକଙ୍କୁ ଦେଖନ୍ତୁ ତ !! କୌଣସି ପରିସ୍ଥିତିରେ ବି ସେମାନେ ଆମ ଭଦ୍ର ପରିବାରର ପୁଅ ଭାଇ, କିମ୍ବା ଆମ ଧର୍ମର କୌଣସି ଧାର୍ମିକ ପରିବାର’ର ବଂଶଧର ଭଳି ଲାଗୁଛନ୍ତି କି ?

କୋଟି କୋଟି ଶାନ୍ତିପ୍ରିୟ ଓ ଆସ୍ଥାବାନ ଲୋକଙ୍କୁ ଏସବୁ ନିଶ୍ଚିନ୍ତଭାବେ ଖରାପ ଲାଗୁଥିବ। ଏସବୁ ଖରାପ ସଂସ୍କୃତି ଅଧିକାଂଶ ଭଦ୍ରଲୋକଙ୍କୁ ଖରାପ ଲାଗୁଛି ବୋଲି ମୁକ୍ତ କଣ୍ଠରେ ଜଣେଇ ଦେବା ଉଚିତ। ଆମ ଧର୍ମଗୁରୁମାନେ ଆମ ଶଙ୍କରାଚାର୍ଯ୍ୟମାନେ ଶକ୍ତ ଭାବରେ କହିବା ଦରକାର ଯେ, କୌଣସି ବି ଦଳର ରାଜନୈତିକ ଫାୟେଦା ପାଇଁ ଆମ ଧର୍ମର ପବିତ୍ର ପ୍ରତୀକ, ଝଣ୍ଡା, ଚାଳିଶା ଇତ୍ୟାଦିର ବ୍ୟବହାର ବନ୍ଦ କରାଯାଉ। କାରଣ ବାସ୍ତବରେ ଦେଖିଲେ ଏସବୁ ଦ୍ୱାରା ଭୋଟରଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥାଏ। ଯେଉଁମାନଙ୍କ ପାଇଁ ବ୍ୟକ୍ତିପରିଚୟ’ରେ ଧର୍ମ ଓ ଧାର୍ମିକ ଚିହ୍ନ ସର୍ବୋତ୍କୃଷ୍ଟ ବିଷୟ, ସେମାନେ ଆଗରୁ ଯେଉଁ ଦଳର ସମର୍ଥକ ରହିଥିଲେ, ଆଗକୁ ବି ସେୟା ହୋଇ ରହିବେ।

ଆମେ ଆମ ବନ୍ଧୁ ଓ ପ୍ରିୟଜନମାନଙ୍କୁ ଧିରେ ଧିରେ ରାଜନୈତିକ ଦଳମାନଙ୍କର ହାତବାରିଶି ବା ଯୁଦ୍ଧାସ୍ତ୍ରରେ ପରିଣତ ହେଇଯିବାର ଦେଖିବାକୁ ପାଉଛୁ। ଏହା ଏମିତି ରୂପ ନେଉଛି ଯେ, ଦିନେ ଦେଖିବେ – ଅନେକ ଶବ୍ଦର ପରିଭାଷା ହିଁ ବଦଳି ଯାଇଥିବ। ଏବଂ ଠିକ୍ ସେତିକି ବେଳେ ସତରେ ଧର୍ମ ବିପଦରେ ଥିବ।

ଦୁନିଆର କୌଣସି ଗୋଟିଏ ଧର୍ମର ଲୋକେ ଅନ୍ୟ ଧର୍ମାବଲମ୍ବିଙ୍କୁ ଡରେଇବା ଚିଡ଼େଇବା କିମ୍ବା ନିଚା ଦେଖେଇବା ପାଇଁ ନିଜ ଧର୍ମର ଧାର୍ମିକ ପ୍ରତୀକମାନଙ୍କର ଅପବ୍ୟବହାର କରିବାକୁ ଚାହାଁନ୍ତି ନାହିଁ। କାରଣ ସେସବୁ ପ୍ରତୀକ ମାନଙ୍କର ପବିତ୍ରତା ରକ୍ଷା କରିବା ହିଁ ଧାର୍ମିକ ଲୋକମାନଙ୍କର ପ୍ରଥମ କର୍ତ୍ତବ୍ୟ ଅଟେ।

ଆଜିକାଲି ଇଏ ଏକ ବିଚିତ୍ର ବିରୋଧାଭାସ ସୃଷ୍ଟି ହେଉଛି। ଦେଶରେ ବହୁସଂଖ୍ୟକଙ୍କ ଧର୍ମ ଆଧାରରେ ଏକ ରାଜନୈତିକ ଦଳ ଯେତେ ଯେତେ ଶକ୍ତିଶାଳୀ ହେଉଛି, ସେହି ଧର୍ମର ଆଉ ଏକ ଗୋଷ୍ଠି ଏହି କ୍ରିୟାରେ ଭୀଷଣ ଅରାଜି ଓ ଅସନ୍ତୁଷ୍ଟ ହୋଇ ଖୁବ୍ ଦୃତ ଗତିରେ ନିଜକୁ ସଂଗଠିତ କରୁଛନ୍ତି। ଏବେ ତଥାକଥିତ ନୂଆ ଭାରତରେ ନୂତନ ପିଢ଼ିର କିଛି ଯୁବକ, ନିଜ ଧର୍ମ ବ୍ୟତୀତ ଅନ୍ୟ ଧର୍ମରେ ପ୍ରଚଳିତ ଥିବା ଭଲ ଭଲ କଥାରୁ କିଛି ନ ଶିଖି ବରଂ ସେସବୁ ଧର୍ମରେ ଥିବା ଖରାପ କଥା ଗୁଡ଼ିକର ନକଲ କରି ଲାଗିଛନ୍ତି !!

ଘୃଣା ବିଦ୍ୱେଷ ଓ ଧାର୍ମିକ ଉନ୍ମାଦନା ଏମିତି ଯଦି ବଢ଼ି ବଢ଼ି ଚାଲିଥିବ, ଅନ୍ୟ ଧର୍ମାବଲମ୍ବୀଙ୍କୁ ପାନେ ଦେବା କଥା ତ ଅସମ୍ଭବ, ବରଂ ଏହାର କୁପରିଣାମ ସର୍ବ ପ୍ରଥମେ ନିଜ ପରିବାର ସମାଜ ଓ ପରିବେଶ ଉପରେ ପଡ଼ିବ। ନିଜ ଅଞ୍ଚଳରେ ଆମେ ନିଜେ ହିଁ ହିଂସାର କାରଣ ହେବା ପୁଣି ଶିକାର ବି ହେବା।

ଶାନ୍ତିପ୍ରିୟ ଲୋକମାନେ ଏତକ କଥା ଯେତେ ଶୀଘ୍ର ବୁଝିଯିବେ ସେତେ ଭଲ।

—–###—–
ବିଜୟ କୁମାର ଜେନା।

1 thought on “ଧର୍ମରକ୍ଷା’ରେ ଅସୁରକ୍ଷିତ ସମାଜ”

Leave a Comment

Your email address will not be published. Required fields are marked *

Scroll to Top